Unknown

 

 

 

 

 

 

 

 

 

ଆମ ଗାଆଁ କାଶୀପୁର

ଚିତ୍ତରଞ୍ଜନ ଦାସ

 

ପ୍ରକାଶକଙ୍କ ମନ୍ତବ୍ୟ

 

‘ଆମ ଗାଆଁ କାଶୀପୁର’ ବହିଟି ‘ଅଗ୍ରଗାମୀ’ ର ସନ୍ଧାନ ଓ ସମୀକ୍ଷା କ୍ଷେତ୍ରରେ ପ୍ରଥମ ଅବଦାନ । ଏ ବହିଟିର ବର୍ଣ୍ଣନା ଓ ବିଶ୍ଳେଷଣ କେବଳ କାଶୀପୁର ପାଇଁ ପ୍ରଯୋଜ୍ୟ ନୁହେଁ । ଭାରତର ପ୍ରତ୍ୟେକ ଗାଆଁ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଗାଆଁ ମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ-। ଏ ବହିର ଲେଖକ ଶ୍ରୀ ଚିତ୍ତ ଭାଇ ଅତି ସରଳ ଭାଷାରେ ଗାଆଁର ବ୍ୟବସ୍ଥା ଓ ବ୍ୟତିକ୍ରମକୁ ଚିତ୍ରଣ କରିଛନ୍ତି । ଏ ବହିଟି ନବସ୍ଵାକ୍ଷରଙ୍କ ସଚେତନତା ଓ ସମ୍ଵେଦନଶୀଳତା ପାଇଁ ଉଦ୍ଦିଷ୍ଟ । ଆଶା, ଏହା ସର୍ବତ୍ର ଆଦୃତ ଓ ପ୍ରିୟ ହୋଇପାରିବ । ଏଥିରେ ଚିତ୍ତଭାଇଙ୍କ ଉଦ୍ୟମ ପାଇଁ ଅଗ୍ରଗାମୀ ତଥା ଏହାର ସମସ୍ତ ସଦସ୍ୟବୃନ୍ଦ ଧନ୍ୟବାଦ ଜ୍ଞାପନ କରୁଛନ୍ତି । ସମାଜର ପରିବର୍ତ୍ତନ କଥା ଆମେ ସମସ୍ତେ କହୁଛେ । ଏହା ଏକ ଗଭୀର ପ୍ରଶ୍ନ ବୋଲି ମଧ୍ୟ, ବିଚାର କରୁଛେ । ସମାଜ ପରିବର୍ତ୍ତନ ପଦ୍ଧତି ପର୍ବତାରୋହଣ ପଦ୍ଧତି ସହ ତୁଳନୀୟ । ଏଥିପାଇଁ ଭଲପାଇବା, ସଂଯମ ଓ ସହନଶୀଳତାର ଅପରିମିତ ଶକ୍ତି ଆବଶ୍ୟକ । ଯାହା ପାଖରେ ଏହାର ଅଭାବ ରହିଛି ସେ କେବେହେଲେ ସମାଜ ପରିବର୍ତ୍ତନ ପାଇଁ ଯୋଗ୍ୟ ବ୍ୟକ୍ତି ନୁହେଁ । ବର୍ତ୍ତମାନ ସମୟ ଆସିଛି ଆମେ ସମସ୍ତେ ନିଜକୁ ପ୍ରସ୍ତୁତ କରିବା ଖାଲି ସମାଜ ପରିବର୍ତ୍ତନ ପାଇଁ ନୁହେଁ, ଏକ ବିକଳ୍ପ ସଂସ୍କୃତି, ଇତିହାସ ଓ ଜିଜ୍ଞାସାର ନବନିର୍ମାଣ ପାଇଁ । ଆମ ଚାଲିବା ପଥରେ ‘ଆମ ଗାଆଁ କାଶୀପୁର’ ବହିଟି ସହାୟକ ହେବ ବୋଲି ଆମର ଆନ୍ତରିକ ଆଶା ।

ତା ୧୧-୬-୮୮

କାଶୀପୁର

‘ଅଗ୍ରଗାମୀ

Image

 

(୧)

ଏହି ବଡ଼ ପୃଥିବୀରେ କେତେ ଆଡ଼େ କେତେ ଗାଆଁ ରହିଥିବ । କେତେ ଗାଆଁ ଭିତରେ କାଶୀପୁର ହେଉଛି ଗୋଟିଏ ଗାଆଁ, ଗୋଟିଏ ଅଞ୍ଚଳ । ଏହିଟି ଆମର ଗାଆଁ ଆମ ଅଞ୍ଚଳ । କାଶୀପୁର ହେଉଛି ଆମ ପୃଥିବୀ ।

ଏଠି ଯୁଆଡ଼େ ଚାହିଁବ ଖାଲି ଟାଙ୍ଗରା ଭୂଇଁ । ଭୂଇଁ ସେ ପାଖକୁ ପର୍ବତ । ସାନ ଚେପେଟା ହୋଇ ଭୂଇଁ ଉପରେ ସତେ ଅବା ଲମ୍ବ ହୋଇ ଶୋଇ ରହିଥିବା ପର୍ବତ, ପୁଣି ଗୋଜିଆ ହୋଇ ଆକାଶର ଗର୍ଭ ଭିତରକୁ ପଶିକରି ଠିଆ ହୋଇଥିବା ପର୍ବତ । ଦୂର ପର୍ବତ ନିକଟର ଡଙ୍ଗର -। ଆମ ବୁଆ ଅଜାମାନେ କହନ୍ତି, ପୂର୍ବ କାଳରେ ଏହି ପର୍ବତ ସବୁ ଘଞ୍ଚ ଅରଣ୍ୟରେ ଭର୍ତ୍ତି ହୋଇ ରହିଥିଲେ କେତେ କେତେ ଜାତିର ଗଛ, କେତେ ଉପକାରୀ ଗଛ, ବୁଦା ଗଛ ଆଉ କଣ୍ଟା ଗଛ ଯେତିକି, ଲଟା ମଧ୍ୟ ସେତିକି । ସେତେବେଳେ କୁଆଡ଼େ ମଣିଷ ଅଳ୍ପ ଥିଲେ । ଗଛମାନେ ଅଧିକ ଥିଲେ । ଏବେ ମଣିଷ ଅଧିକ ହେଲେଣି ତେଣୁ ଗଛମାନେ ବଢ଼ିବାକୁ ଜାଗା ମିଳୁ ନାହିଁ । ତେନ୍ତୁଳି ଗଛ ମାନଙ୍କରେ ଯେତିକି ପତର ପୃଥିବୀରେ କୁଆଡ଼େ ମଣିଷମାନଙ୍କର ସଂଖ୍ୟା ସେତିକି ହେଲାଣି, ଦିନକୁ ଦିନ ଆହୁରି ଆହୁରି ହୋଇ ବଢ଼ିବାରେ ଲାଗିଛନ୍ତି । ତେଣୁ ଗଛମାନଙ୍କର ସଂଖ୍ୟା କମି ଯାଉଛି । ପାହାଡ଼ମାନେ ଏବେ ଭାରି ଲଣ୍ତା ହୋଇ ଦିଶିଲେଣି ।

ଦୂର ପାହାଡ଼ମାନଙ୍କ ପାଖରୁ ଏକା ବେଳେକେ ଆମ ଗାଆଁର ମୁଣ୍ତ ଯାଏ ଟାଙ୍ଗରା ଭୂଇଁ-। କୋଉଠି ଉଚ୍ଚ କୋଉଠି ନୀଚ କୋଉଠି ଢିପ କୋଉଠି ଖାଲ ଭୂଇଁରେ ପଥର ବେଶି ମାଟି କମ୍ । ମଝିରେ ମଝିରେ ନଈ ଅଙ୍କା ବଙ୍କା ହୋଇ ସତେ ଅବା ଲୁଚି ଲୁଚି ବହି ଯାଉଥିବା ଖଣ୍ତେ ଖଣ୍ତେ ନଦୀ ଖରାଦିନେ ଆଖିକୁ ଅଦୃଶ୍ୟ ହୋଇ ରହିଥାନ୍ତି । ଶୀତ ଦିନେ ମଧ୍ୟ ଦରଶୁଖିଲା । କୋଉଠି ବାଙ୍କ ମୁହଁରେ ବୁଦାମାନଙ୍କ ତଳେ ଏକୁଟିଆ ଅନ୍ଧାର ଭିତରେ ଅରାଏ ଅରାଏ ପାଣି ରହିଥାଏ । ଲଟା ଆଉ ବୁଦାର ଗଛ ତଳୁ ଦୂରରୁ କାଳିଆ ଚକଚକ ହୋଇ ଦିଶୁଥାଏ । ସେଥିରେ ପୁଣି ଉପରେ ସର ପଡ଼ି ଯାଇଥାଏ । ସେହି ପାଣିରେ ପଶିଲେ ଗୋଡ଼ ଦୁଇଟା ଗୋଟାସୁଦ୍ଧା ହେମାଳ ହୋଇଯାଏ-। ନଦୀମାନଙ୍କର ସବୁଯାକ ପ୍ରତାପ କେବଳ ବର୍ଷା ଦିନେ ଜଣାପଡ଼େ । ପାହାଡ଼ ଉପରେ ବର୍ଷା ହେବା ମାତ୍ରକେ ଘୋର ଗର୍ଜନ କରି ତେଣୁ ପାଣି ମାଡ଼ିଆସେ । ନଦୀ ଗୁଡ଼ାକ ଚାହୁଁ ଚାହୁଁ ପାଣିରେ ଫୁଲି ଉଠନ୍ତି । ପ୍ରବଳ ସୁଅରେ ସାପମୁଣ୍ତ ଛିଣ୍ତି ଯାଉଥିଲା ପରି ମନେ ହେଉଥାଏ । ସେତେବେଳେ ଦୁଇ କୂଳ ବୋଲି ମୋଟେ କିଛି ରହେ ନାହିଁ । ସେହି ଘଡ଼ିକ ପାଇଁ ହେଉ ପଛକେ ଚାରିଆଡ଼ ଦରିଆମୟ ହୋଇଯାଏ। ସତେ ଅବା ସମୁଦ୍ର ଯାକର ପାଣି ଆମର ଏହି ଖଣ୍ତଟାକୁ ଉଠି ଆସିଥିବା ପରି ମନେ ହୁଏ । ଯେତେବେଳେ ଦିନ ଦିନ ଧରି ବର୍ଷା ଲାଗିରହେ, ସେତେବେଳେ ଦିନ ଦିନ ଧରି ନଦୀ ଗୁଡ଼ାକର ପାଣି ଫୁଲି କରି ରହିଥାନ୍ତି ।

ସେଇ ବର୍ଷାଦିନେ ଆକାଶର ମେଘମାନେ ଏକା ବେଳେକେ ଆମ ପାହାଡ଼ ଉପରକୁ ଲାଗିଆସନ୍ତି । ପାହାଡ଼ ଉପରେ ମେଘ ଅଧିକ ହେଲେ ସେଠାରେ ଆଉ ଜାଗା ଅଣ୍ଟେ ନାହିଁ କି କ’ଣ କେଜାଣି ମେଘମାନେ ଜମି ଉପର ଦେଇ ଏକା ବେଳେକେ ଆମ ଗାଆଁ ଭିତରକୁ ମାଡ଼ି ଚାଲି ଆସନ୍ତି। ଦଶଦିଗ ଅନ୍ଧାର, ଧୂଆଁ ମୟ ହୋଇଯାଏ । ଗଛମାନେ କୁହୁଡ଼ିଆ, କୁହୁଡ଼ିଆ ହୋଇ ଦେଖା ଯାଉଥାନ୍ତି । ମନେହୁଏ, ସତେ ଅବା ସ୍ଵୟଂ ମହାପୁରୁ ପିକା ଖାଇ ଏହି ମର୍ତ୍ତ୍ୟମଣ୍ତଳ ଗୋଟାକ ଯାକକୁ ତାଙ୍କ ଧୂଆଁରେ ଭର୍ତ୍ତି କରି ଦେଇଥାନ୍ତି । ବର୍ଷାଦିନେ ତାଙ୍କୁମଧ୍ୟ ଭାରି କାକର ଲାଗୁଥିବ । ସିଏ ମୋଟେ ବାହାରକୁ ବାହାରୁ ନଥିବେ । ବର୍ଷାଦିନେ ମେଘ ଘେରି ଅନ୍ଧାର କରି ରଖିଥିଲେ ଆମେ ଯେପରି ଘରୁ ବାହାରକୁ ବାହାରି ପାରୁନାହିଁ, ହୁଏତ ମହାପୁରୁ ମଧ୍ୟ ସେହିପରି ତାଙ୍କ ଘରୁ ମୋଟେ ପଦାକୁ ବାହାରି ପାରୁନଥିବେ ।

ଖରାଦିନେ ଭାରି ଖରା, ବର୍ଷାଦିନେ ମେଘ ଆଉ ଅନ୍ଧାର: ପୁଣି ଶୀତଦିନେ ହାଡ଼ଭଙ୍ଗା ଶୀତ । ମଣିଷ ହାଡ଼ର କେତେ ବଳ ଯେ ତାହା ପୁଷ ଆଉ ମାଘର ଶୀତକୁ ସହି ପାରିବ ? ଥରେ ଥରେ ଏତେ ଶୀତ ହୁଏ ଯେ ସକାଳୁ ଘାସ ଉପରେ କାକର ପଡ଼ି ଯାଇଥାଏ । ଗଛମାନଙ୍କର ଫଳ ଓ ପତର ଶୀତରେ କାଉଁଦା ହୋଇ ରହି ଯାଇଥାଏ । ବେଳେ ବେଳେ କାକରରେ ଧଳାଧୂସରିଆ ଝୋଟ ପରି ଦେଖା ଯାଇଥାଏ । ସେତେବେଳେ ଅଗ୍ନି ଦେବତା ଆମର ଏକମାତ୍ର ସାହା ହୋଇ ରହିଥାଆନ୍ତି । ଶୀତ ଦିନର ଅସଲ ଦେବତା ହେଉଛନ୍ତି ଏହି ଅଗ୍ନି ଦେବତା । ସେତେବେଳେ ଆମ ଘରେ ଓ ଆମ ଦାଣ୍ତରେ ସବୁବେଳେ ନିଆଁ ଜଳୁଥାଏ । ନିଆଁ ଚାରିପାଖରେ ବସି ଜୀବନଟାକୁ ଯେ କୌଣସି ପ୍ରକାରେ ଶୀତରୁ ଏତେ କଷ୍ଟ ପାଇବାକୁ ପଡ଼େ, ସେତେବେଳେ ଆମ ଗାଈ ଓ ଛେଳିମାନଙ୍କୁ କ’ଣ କମ୍ କଷ୍ଟ ପାଇବାକୁ ପଡ଼ୁଥିବ ? ଶୀତଦିନେ ଚଢେଇମାନଙ୍କର ବି ଦେଖା ଦର୍ଶନ ମିଳେ ନାହିଁ । ସେମାନେ ଆଉ କୋଉ ରାଜ୍ୟକୁ ଉଡ଼ି ଚାଲି ଯାଇଥାନ୍ତି । କିମ୍ବା କୋଉଠି କୋରଡ଼ ବା ଗାତ ଭିତରେ ନିଆଁ ପୁଇଁ ବାରେ ଲାଗିଥାନ୍ତି । ସେମାନଙ୍କର ନଖ ଆଉ ଥଣ୍ଟକୁ ଉଷୁମ କରି ଦେଖି ନଥାନ୍ତି ।

 

(୨)

ଆମ କାଶୀପୁରରେ ତୁମେ ଯୁଆଡ଼କୁ ଅନାଇବ ପଛକେ, ସବୁଆଡ଼େ କେବଳ ଏହି ପାହାଡ଼ ଆଉ ଟାଙ୍ଗରା ଭୂଇଁ ଦେଖିବ । ମଝିରେ ମଝିରେ ପୁଳାଏ ପୁଳାଏ ଗଛ ନଣ୍ତା ମୁଣ୍ତର ଚନ୍ଦା ଭିତରେ କେରାଏ କେରାଏ ବାଳ ପରି ବି ଦିଶୁଥିବ । ଯେଉଁଠାରେ ସେହି ଗଛ ଗୁଡ଼ାକ ଟିକିଏ ଅଧିକ ମେଞ୍ଚା ମେଞ୍ଚା ହୋଇ ଦେଖାଯାଉଥିବ, ସେହି ଜାଗା ସବୁ ହେଉଛି ଆମର ଗାଆଁ । ଆମ ମାନଙ୍କର ଗାଆଁ । ତର୍ଲି, ପଣ୍ତକାପଦର, ଧୁଡ଼ୁକାବାହାଳ… ଏମିତି କେତେ କେତେ ଗାଆଁ । ଗାଆଁ ମଝିରେ ଦାଣ୍ତ, ଦାଣ୍ତର ଦୁଇ ପାଖରେ ଦୁଇଧାଡ଼ି ଘର ଚାରିଆଡ଼ ପରିଷ୍କାର ଭିତର ଓ ବାହାର ସବୁ ପରିଷ୍କାର । ନାଲି, କଳା ଓ ଧଳା ମାଟିରେ ପିଣ୍ତା ଆଉ କାନ୍ଥ ଗୁଡ଼ିକ ଏପରି ଚିକଣ୍ ଆଉ ଚଦରଭଙ୍ଗା ହୋଇ ଲିପା ହୋଇଛି ଯେ, ସହରର ସିମେଣ୍ଟ ଚଟାଣ ଠାରୁ ମଧ୍ୟ ଅଧିକ ଚକ୍ ଚକ୍ ଦେଖାଯାଉଛି । ଘର ଗୁଡ଼ିକ ଉପରେ ଚାଳର ଛପର, ଚାଳ ଉପରୁ ବାହାରକୁ ଧୂଆଁ ଯିବା ଧୂଆଁ ନଳାଗୁଡ଼ିକ ନାଲି ନାଲି ହୋଇ ଦିଶୁଛି । ଆଗେ ଘର ଭିତରେ ଚୂଲୀ ଲାଗିବା ମାତ୍ରକେ ଭିତରଟା ଯାକ ଧୂଆଁ ଭର୍ତ୍ତି ହୋଇଯାଉଥିଲା, ଆଖିରୁ ପାଣି ଗଡ଼ି ଆସୁଥିଲା । ଏବେ ଆଉ ସେହିପରି ହେଉ ନାହିଁ । ଆମ ପିଲାମାନେ ଏହି ଧୂଆଁ ନଳା ଗୁଡ଼ିକୁ ନିଜ ହାତରେ ତିଆରି କରିଛନ୍ତି ।

ଘର ଗୁଡ଼ିକ ଏପରି ବାଗରେ ତିଆରି ହୋଇଛି ଯେ, ଖରାଦିନେ ଆମକୁ ଖରା ବାଧିବ ନାହିଁ କିମ୍ବା ଶୀତଦିନେ ଶୀତ ମଧ୍ୟ ବାଧିବ ନାହିଁ । ଏପରି ଘର ତିଆରିର ବାଗ ଆମେ ଆଦିବାସୀମାନେ ପୁରୁଷ ପୁରୁଷ ଅମଳରୁ ଶିକ୍ଷା କରିଛୁ । ସହର ମାନଙ୍କର ଘର ପରି ଆମର ଏହି ଘରଗୁଡ଼ିକ ତିଆରି ହୋଇଥିଲେ, କାଶୀପୁରର ଯେଉଁ ପ୍ରଚଣ୍ତ ଖରା ଆଉ ପ୍ରଚଣ୍ତ ଶୀତ, ତାହାକୁ ମୋଟେ ସହି ହେଉନଥାନ୍ତା । ସବୁ ଗାଆଁରେ ଆମର ଗୋଟିଏ ଗୁଡ଼ି ଘର, ଯାହାକୁ ଆମେ ସମସ୍ତେ ମିଶି ତିଆରି କରିଛୁ । ଏଇଟି ସମସ୍ତଙ୍କର ଘର, ସାରା ଗାଆଁ ର ଘର । ଏଇଟି ସାରା ଗାଆଁର ଧାଙ୍ଗଡ଼ା ଓ ଧାଙ୍ଗଡ଼ୀମାନେ ରହନ୍ତି । ଏକାଠି ମିଶନ୍ତି । ରଙ୍ଗରସ କରନ୍ତି । ଆମ ପିଲାମାନେ ଯେ ଆମ ସମସ୍ତଙ୍କର,ଆମ ଗୁଡ଼ିଘର ପିଲାମାନଙ୍କୁ ସେହି କଥା ଶିକ୍ଷାଦିଏ । ଆମ ପର୍ବ ଦିନେ ଆମେ ସମସ୍ତେ ସେହିଠାରେ ଯାଇ ଏକାଠି ହେଉ । ଆମ ପିଲାମାନେ ଗୀତ ଗାଆନ୍ତି, ନାଚନ୍ତି, ଆମେ ଶୁଣୁ ଦେଖୁ । ଆମ ନିଜ ପିଲାଦିନେ ମଧ୍ୟ ଆମେ ଏହିପରି ଗାଉଥିଲୁ, ନାଚୁଥିଲୁ । ଗାଆଁ ଗୋଟାକରେ ଆମେ ଯେ କେହି କାହାଠାରୁ ଅଲଗା ନୋହୁ । ଆମର ନାଚ, ଆମ ଗୀତ ଓ ଆମର ପର୍ବଦିନ ଗୁଡ଼ିକ ଆମକୁ କାଳ କାଳ ଧରି ସେହି କଥା ଶିକ୍ଷା ଦେଇ ଆସୁଛି ।

 

(୩)

ଏବେ ସେହି ଗୁଡ଼ିଘର ସାମନାରେ ଦାଣ୍ତ ଦୁଆରେ ଆମ ଗାଆଁର ରାତ୍ରି ସ୍କୁଲ ବସୁଛି । ପ୍ରଥମେ ପ୍ରଥମେ ଯେତେବେଳେ ଇସ୍କୁଲ ଆରମ୍ଭ ହେଲା, ସେତେବେଳେ ଶୀତ ଦିନ ରାତିରେ ଗୋଟାଏ ବଡ଼ କାଠଗଡ଼କୁ ଜଳାଇ ଆମେ ସେହି ଉଷୁମରେ ଧାଡ଼ି ହୋଇ ବସି ସ୍କୁଲ କରୁଥିଲୁ । ପିଲାମାନେ ପାଠ ପଢ଼ୁଥିଲେ, ଆମେ ବଡ଼ମାନେ ସେମାନଙ୍କ ପାଖରେ ବସି ତାଙ୍କ ପାଠପଢ଼ା ଦେଖୁଥିଲୁ । ଏବେ ମଧ୍ୟ ସେହି ବାହାରେ ଆମ ପିଲାଙ୍କର ସ୍କୁଲ ବସୁଛି ସତମାତ୍ର ଏବେ ଲଣ୍ଠନ ଲାଗି ଲାଣି ଆସନ ପଡ଼ିଲାଣି । ଆମରି ଆଦିବାସୀ ଭାଇମାନେ ଆଜ୍ଞା ହୋଇ ଆମ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ସରକାରଙ୍କ ସ୍କୁଲରେ ଯେଉଁ ବାବୁମାନେ ପିଲାମାନଙ୍କୁ ପାଠ ପଢ଼ାଇବା ଲାଗି ଆସିଥାନ୍ତି, ସେମାନେ କାଟକ, ପୁରୀ କି ଗଞ୍ଜାମ ଆଡ଼ୁ ଆସିଥାନ୍ତି । ସେମାନଙ୍କୁ ଦେଖିଲେ ଭାରି ବିଦେଶୀ ବିଦେଶୀ ପରି ଲାଗେ । ସେମାନଙ୍କ ପାଖରେ ଯାଇ ବସିବାକୁ କେମିତି କେମିତି ଲାଗେ । ସେମାନଙ୍କର ଭାଷାକୁ ମଧ୍ୟ ବୁଝିହୁଏ ନାହିଁ । ଆମ ଭାଷାକୁ ବି ସେମାନେ କେତେ କ’ଣ ବୁଝୁଥିବେ କେଜାଣି ? ତେଣୁ ଆମ ପିଲାମାନଙ୍କ ସାଙ୍ଗରେ ଏକାଠି ଆସି ବସୁଥିଲେ ମଧ୍ୟ ଦୂର ଗୁଡ଼ାକ ଭାରି ବାରି ହୋଇ ପଡ଼ୁଥାଏ । ଆମ ପିଲାଙ୍କ ମୁହଁ ସତେ ଅବା ଏ ଆଡ଼କୁ ହୋଇ ରହିଥିଲେ ସେହି ଅଙ୍ଗାପିନ୍ଧା ଆଜ୍ଞାମାନଙ୍କର ମୁହଁ ସିଆଡ଼କୁ ହୋଇ ରହିଥାଏ । ସେମାନଙ୍କର ମନ ଯେପରି ଆମ ପିଲାଙ୍କ ପାଖରେ ନଥାଏ, ଆଉ କୁଆଡ଼େ କେତେ ଦୂରରେ ଯାଇ ରହିଥାଏ ।

ଆମ ନୂଆଁ ଇସ୍କୁଲ ଗୁଡ଼ିକରେ ସେପରି ମୋଟେ ହେଉନାହିଁ । ଆମରି ଆଦିବାସୀ ବଡ଼ଭାଇମାନେ ଆମପିଲାଙ୍କୁ ପାଠ ପଢ଼ାଉଛନ୍ତି । ଆମେ ସେମାନଙ୍କୁ କୋଉକାଳୁ ଚିହ୍ନିଛୁ । ସେମାନେ ଆମକୁ ବୁଝିବାରେ ଓ ଆମେ ସେମାନଙ୍କୁ ବୁଝିବାରେ ଆଦୌ କୌଣସି ଅଡ଼ୁଆ ରହୁନାହିଁ । ଏବେ ମଧ୍ୟ ଆମେ ବଡ଼ମାନେ ପିଲାଙ୍କର ପାଠପଢ଼ା ପାଖରେ ରୁଣ୍ତ ହୋଇ ଯାଇ ଏକାଠି ବସୁଛୁ । ପିଲାଏ କେତେ ଖୁସି ହୋଇ ପାଠ ପଢ଼ୁଛନ୍ତି । ସିଲଟ ଧରି କେତେ କ’ଣ ଲେଖି ପକାଉଛନ୍ତି, ଖଡ଼ିରେ କେତେ କ’ଣ ଚିତ୍ର ଆଙ୍କି ଦେଉଛନ୍ତି । ଆମ ପିଲା ଦିନେ ଆମେ ବି ଏମିତି ପାଠପଢ଼ି ଥାଆନ୍ତୁ କି ? ପାଠ ପଢ଼ିଥିଲେ ଆମେ ଆଉ କଦାପି ଏପରି ଆଖି ଥାଇ ଅନ୍ଧ ହୋଇ ରହିନଥାନ୍ତୁ । ଆମର ପିଲାମାନେ ଆଉ ଯାହା ହୁଅନ୍ତୁ ବା ନ ହୁଅନ୍ତୁ ପଛକେ ଏମାନେ କଦାପି ଅନ୍ଧ ହୋଇ ରହିବେ ନାହିଁ । ଆଖି ଖୋଲି ସାରା ସଂସାରକୁ ଦେଖିବେ । ନିଜକୁ ମଧ୍ୟ ଦେଖିବେ । ନିଜର ଭାଗ୍ୟକୁ ନିଜେ ଗଢ଼ିବେ । ବାହାରୁ ଆସୁଥିବା ମଣିଷଙ୍କୁ ଦେଖି ସେମାନେ ଡରି ହରି ଆଉ ଏକ ଘର ଭିତରକୁ ପସିଯିବାକୁ ମୋଟେ ମନ କରିବେ ନାହିଁ । ପାଠ ପଢିଲେ ଆଉ ଯାହା ହେଉ କିମ୍ବା ନହେଉ ପଛକେ ଏହି ଡରଟା ଏକାବେଳକେ ଛାଡ଼ିଯାଏ । ମଣିଷ ଜନମ ପାଇ ମଣିଷ ମଣିଷକୁ ଏତେ ଡରିବ କାହିଁକି ? ଏହି ପିଲାମାନେ ବଡ଼ ହୋଇ ଆମର ଗାଆଁକୁ ଆହୁରି ସୁନ୍ଦର କରି ଗଢିବେ । ଏହି ଜଙ୍ଗଲ ଓ ଏହି ପାହାଡ଼ ସେତେବେଳେ ଅଧିକ ସୁନ୍ଦର ଦିଶିପାରିବ । ନିର୍ଭୟ ମଣିଷମାନଙ୍କୁ ନେଇ ଅଧିକ ଗର୍ବ ଅନୁଭବ କରିବ ।

ଆଗେ କାଶୀପୁରରେ ରାଜା ଥିଲେ । ରାଜା ଗଲେଣି, ସେ କାଳର ରାଜା ଘର ଭାଙ୍ଗିରୁଜି ପଡ଼ିଛି । ଆଗେ ଭାରତ ବର୍ଷରେ କେତେ ନା କେତେ ରାଜା ଥିଲେ । ବଡ଼ ରାଜା ଥିଲେ, ସାନ ରାଜା ଥିଲେ । ମଣିଷମାନଙ୍କୁ ସେତେବେଳେ ପ୍ରଜା ବୋଲି କୁହାଯାଉଥିଲା । ପ୍ରଜାମାନେ ସେମାନଙ୍କୁ ଦେବତା ପରି ମାନୁଥିଲେ । ଦେଶ ସ୍ଵାଧୀନ ହେବା ପରେ ଦେଶର ସବୁ ମଣିଷଙ୍କୁ ଏହି ଦେଶର ନାଗରିକ ବୋଲି କୁହାଗଲା । ସବୁ ରାଜା ଓ ଜମିଦାରଙ୍କର ରାଜ୍ୟ ମିଶି ଗୋଟିଏ ଭାରତବର୍ଷ ହେଲା । ରାଜାମାନେ ବି ନାଗରିକ ହେଲେ । ସେମାନଙ୍କର ସଂପତ୍ତି ମଧ୍ୟ ଦେଶରେ ସଂପତ୍ତିରେ ପରିଣତ ହେଲା । ଦେଶରେ ସଂପତ୍ତି ଅର୍ଥାତ୍‍ ସମସ୍ତଙ୍କର ସଂପତ୍ତି ଅର୍ଥାତ ତାହା ସମସ୍ତଙ୍କର ଉନ୍ନତ୍ତି ପାଇଁ କାମରେ ଲାଗିବ । ସବୁ ମଣିଷଙ୍କର ମଙ୍ଗଳ ପାଇଁ ଲାଗିବ । ଏହି ଦେଶ ରୂପକ ଜମିଟିରୁ ଅଧିକରୁ ଅଧିକ ସଂପତ୍ତି ଫଳାଇବା ପାଇଁ ସମସ୍ତେ କାମ କରିବେ । କିଏ ଚାଷୀ ହେବ, କିଏ କଳକାରଖାନାରେ କାମ କରିବ, କିଏ ପିଲାମାନଙ୍କୁ ପାଠ ପଢ଼ାଇବ । ବଡ଼ ସାନ ଭେଦଭାବ ରହିବ ନାହିଁ । ୧୫ ମଣିଷ ଅନାଇ ରହିଥିବେ ୪/୫ଟା ମଣିଷ ତାଙ୍କ ପାଖରୁ ସବୁଯାକ ଧନ ବା ସଂପତ୍ତିକୁ କଦାପି ମାରିନେବେ ନାହିଁ । ଏହି ଦେଶରେ ଯେତେ ମଣିଷ ବାସ କରୁଛନ୍ତି, ସେମାନେ ସମସ୍ତେ ହେଉଛନ୍ତି ଭାରତ ମାତାର ସନ୍ତାନ । ସେମାନେ ପରସ୍ପର ଭାଇ, ପରସ୍ପର ଭଉଣୀ । ଭାଇ କାହିଁକି ଭାଇର ସଂପତ୍ତିକୁ ମାରି ନେବ ? ପଚିଶଟା ଭାଇ କୁ ଉପାସ ରଖି ୫ଟା ଭାଇ କାହିଁକି ସବୁଯାକ ମୁଖକୁ ନିଜ ଡୁଲି ଭିତରେ ବନ୍ଦ କରି ରଖିବାକୁ ମନ କରିବେ ?

ସେହି କଥା ହେବ ନାହିଁ ବୋଲି ଆମ ଦେଶ ସ୍ଵାଧୀନ ହୋଇଛି । ଯେତେବେଳେ ଦେଶ ପରାଧୀନ ଥିଲା ସେତେବେଳେ ସେ କଥା ହେଉଥଲା ଆଉ ହେବ ନାହିଁ । କେତେ ମଣିଷ ସେ କଥା ସେମିତି ରହୁ ବୋଲି ଯେତେ ପାଞ୍ଚ କଲେ ମଧ୍ୟ ସେମାନେ ଶେଷକୁ ହଟିଯିବେ । ଦେଶର ନାଗରିକମାନେ ଦେଶକୁ ଗଢ଼ିବେ, ସମସ୍ତେ ବୁଣିବେ, ମେହନତ କରିବେ ସମସ୍ତେ ଖାଇବେ । ରଜାମାନଙ୍କ ଅମଳରେ ଏକଥା କେହି ଭାବୁନଥିଲେ । ମଣିଷମାନେ ଭାଗ୍ୟ ଆଦରି ରହୁଥିଲେ । ଏଥର ଭାରତବର୍ଷର ଲୋକମାନେ ଭାରତ-ବର୍ଷର ଭାଗ୍ୟକୁ ଗଢ଼ିବେ, ଆପଣାର ଭାଗ୍ୟକୁ ଆପେ ଗଢିବେ । କାଶୀପୁରରେ ବାସ କରୁଥିବା ଆମେ କାଶୀପୁରର ମଣିଷ ମାନେ ହିଁ ଆମର ଭାଗ୍ୟକୁ ଗଢ଼ିବେ । ଆମେ ମଧ୍ୟ ଯେ ଏହି ଦେଶର ମଣିଷ, ସେଇକଥା ପ୍ରମାଣ କରି ଦେଖାଇଦେବୁ ।

ସ୍ଵାଧୀନ ଭାରତ ଆଉ କୌଣସି ରାଜାଙ୍କ ଦ୍ଵାରା ଚାଲୁନାହିଁ । ତାହା ପ୍ରଜାଙ୍କ ମତରେ ଚାଲୁଛି । ଭାରତରେ ଅଧିକରୁ ଅଧିକ ମନୁଷ୍ୟ କ୍ରମେ ସେ କଥା ବୁଝୁଛନ୍ତି । କାଶୀପୁରରେ ଆମେ ମଧ୍ୟ ସେ କଥା ବୁଝିବୁ । ଅଧିକରୁ ଅଧିକ ମଣିଷ ସେଇ କଥା ବୁଝିବୁ । ସ୍ଵାଧୀନ ମଣିଷ ଯେମିତି ନୂଆ ଆଖିରେ ନିଜର ଦେଶକୁ ଦେଖେ, ଆମେ କାଶୀପୁରର ମଣିଷମାନେ ମଧ୍ୟ କାଶୀପୁରକୁ ସେଇପରି ନୂଆ ଆଖିରେ ଦେଖିବୁ । ଭାରତବର୍ଷରେ ପ୍ରଜାଙ୍କ ମତରେ ସରକାର ଗଢ଼ାଯିବାର ବ୍ୟବସ୍ଥା ଚାଲୁଛି । ଦେଶରେ ପାଞ୍ଚବର୍ଷରେ ଥରେ ଲୋକଙ୍କର ମତ ପଚରାଯାଉଛି । ଲୋକମାନେ ନିଜର ଭୋଟ ଦେଇ ଯେଉଁମାନଙ୍କୁ ବାଛୁଛନ୍ତି, ତାଙ୍କର ଭିତରୁ କେତେକ ଲୋକ ସରକାର ଗଢୁଛନ୍ତି-। ସେହି ସରକାର ଦେଶକୁ ଚଳାଉଛନ୍ତି । ସେମାନେ ଦେଶରେ ମଣିଷମାନଙ୍କ ପାଇଁ ହିଁ ସରକାର ଚଳାଇବେ । ଆମ ସରକାର ଆମରି ପାଇଁ ଚାଲିବ । ଦେଶରେ ଯେଉଁଠି ଯେତେ ପୋଲିସ ଅଛନ୍ତି, ଅମଳା ଓ ଅଫିସରମାନେ ଅଛନ୍ତି, ଏମାନଙ୍କୁ ସେହି ସରକାର ରଖିଛି । ଆମେ ଗାଁରେ ଆଉ ସହରରେ ବାସ କରୁଥିବା ମଣିଷମାନେ ଯେପରି ଅଧିକରୁ ଅଧିକ ଭଲରେ ରହିବୁ, ସୁଖରେ ରହିବୁ, ନ୍ୟାୟରେ ରହିବୁ ସେଥିପାଇଁ ସରକାର ସେମାନଙ୍କୁ ରଖିଛି । ସେମାନେ ଲୋକମାନଙ୍କର କାମ କରିବା ପାଇଁ ସରକାର ଠାରୁ ଦରମା ପାଇ ରହିଛନ୍ତି । ଅର୍ଥାତ୍‍, ଆମ ସରକାର ଆମରି ପାଇଁ ସେମାନଙ୍କୁ ରଖିଛନ୍ତି । ଏହି ହାକିମ ଓ ଅମଲାମାନେ ମଧ୍ୟ ଆମରି ଦେଶରେ ଲୋକ । ଏମାନେ ଆମରି କାମ, ଏହି ଦେଶରେ କାମ କରିବେ ନାହିଁ ତ ଆଉ କ’ଣ କରିବେ ?

 

(୫)

ରାୟଗଡ଼ାରୁ ବସ୍ ଆସି ଯେଉଁଠି ରହେ, ତାହା ହେଉଛି ସମସ୍ତ କାଶୀପୁର ଅଞ୍ଚଳର ପେଣ୍ଠ ଜାଗା । ଏହିପରି ଭାବରେ କାଶୀପୁର ରାୟଗଡ଼ା ସହିତ ଲାଗିଛି, ରାୟଗଡ଼ା କୋରାପୁଟ ସହିତ ଲାଗିଛି । କୋରାପୁଟ ଭୁବନେଶ୍ଵର ସହିତ ଏବଂ ଭୁବନେଶ୍ଵର ଦିଲ୍ଲୀ ସହିତ ଲାଗିଛି । ଦିଲ୍ଲୀ ହେଉଛି ସାରା ଭାରତ ବର୍ଷର ରାଜଧାନୀ ଓ ଭୁବନେଶ୍ଵର ହେଉଛି ଓଡ଼ିଶାର ରାଜଧାନୀ । ଓଡ଼ିଶାର ତେରଟି ଜିଲ୍ଲାରୁ କୋରାପୁଟ ଗୋଟିଏ ଜିଲ୍ଲା । ଏହିପରି ଭାବରେ ଦିଲ୍ଲୀଠାରୁ କାଶୀପୁର ଯାଏ ଦେଶର ବ୍ୟବସ୍ଥା ଚାଲିଛି । ଦେଶରେ ଶାସନ ଚାଲିଛି । ଆମେ ସମସ୍ତେ ସମସ୍ତଙ୍କ ସହିତ ଗୁନ୍ଥାଗୁନ୍ଥି ହୋଇ ରହିଛୁ । କାଶୀପୁର କୋରାପୁଟ ଓ ଭୁବନେଶ୍ଵର ବାଟ ହୋଇ ଦେଶରେ ରାଜଧାନୀ ଦିଲ୍ଲୀ ସହିତ ଗୁନ୍ଥା ହୋଇ ରହିଛି । ଆମ ଦେଶରେ ସବୁ ଯାକ ଗାଁ ଓ ସବୁଯାକ ସହର ଏହିପରି ଭାବରେ ଦେଶର ରାଜଧାନୀ ସହିତ ଗୁନ୍ଥା ହୋଇ ରହିଛି, ପରସ୍ପର ସହିତ ଗୁନ୍ଥାଗୁନ୍ଥି ହୋଇ ରହିଛି ।

କାଶୀପୁର ପେଣ୍ଠରେ ପୋଲିସି ଅଛନ୍ତି, ଜଙ୍ଗଲର ବାବୁମାନେ ଅଛନ୍ତି, ରେଭିନିଉ ବାବୁମାନେ ରହିଛନ୍ତି । ସେଠି ଇସ୍କୁଲ ମାନ ବି ରହିଛି । ବଡ଼ ପିଲାମାନଙ୍କ ଲାଗି ରହିଛି, ସାନ ପିଲାମାନଙ୍କ ଲାଗି ମଧ୍ୟ ରହିଛି । ଏସବୁ ଆମରି ଲାଗି ରହିଛି । ଆମେ ରହିଛୁ ବୋଲି ଏସବୁ ରହିଛି ଓ ଏମାନେ ରହିଛନ୍ତି । କାଶୀପୁରକୁ ଚାରିପାଖରୁ ଘେରି କରି ଏତେ ଗାଆଁ ରହିଛି ବୋଲି ଏତେ ଗାଆଁ ରହିଛି । ଆମେ ନଥିଲେ ବା ଆମ ଗାଆଁ ନଥିଲେ ଏହି ପେଣ୍ଠ ଜାଗାଟା ମଧ୍ୟ କଦାପି ନଥାନ୍ତା । ଅମଲାମାନେ ସମସ୍ତେ ଆମର କାମରେ ଲାଗୁଛନ୍ତି ବୋଲି ସରକାରଙ୍କ ଦ୍ଵାର ନିଯୁକ୍ତି ହୋଇ ସେଠାରେ ରହିଛନ୍ତି । ସ୍ଵାଧୀନ ଦେଶରେ ଲୋକମାନଙ୍କ ଲାଗି ହିଁ ଅମଲାମାନେ ରହିଥାନ୍ତି । ସେମାନେ ସରକାରଙ୍କଠାରୁ ଦରମା ପାଆନ୍ତି । ଲୋକମାନେ ସରକାରଙ୍କୁ ଖଜଣା ଦିଅନ୍ତି, ସରକାର ସେହି ଖଜଣା ପଇସାରୁ ହିଁ ଅମଲା ମାନଙ୍କୁ ଦରମା ଦିଅନ୍ତି । ତେଣୁ, ପ୍ରକୃତରେ କୁହାଯାଇ ପାରିବ ଯେ ଦେଶର ଲୋକମାନେ ହିଁ ଦରମା ଦେଇ ଏହି ଅମଲା ଓ ହାକିମ ମାନଙ୍କୁ ରଖିଛନ୍ତି । ରାଜାମାନଙ୍କୁ ଅମଳରେ ବ୍ୟବସ୍ଥା ଅଲଗା ପ୍ରକାର ଥିଲେ ସେତେବେଳେ ନାଗରିକ ନଥିଲେ, ପ୍ରଜା ଥିଲେ । ରାଜା ପ୍ରଜାମାନଙ୍କର ପ୍ରତିନିଧି ନଥିଲେ, ମାଲିକ ଥିଲେ । ସେହି ମାଲିକ ମାନଙ୍କୁ ପ୍ରଜାମାନେ ବାଛି ନଥିଲେ । ସେମାନେ ସତେ ଅବା କୁଆଡ଼ୁ ଉପରୁ ଆସି ପ୍ରଜାମାନଙ୍କ ଉପରେ ଲଦି ହୋଇ ରହିଥିଲେ । ପ୍ରଜାମାନଙ୍କ ଉପରେ ଘୋଡ଼ା ଚଢ଼ୁଥିଲେ । ଏବେ ଆଉ ସେ କାଳ ନାହିଁ କି ସେ ବ୍ୟବସ୍ଥା ନାହିଁ । ବର୍ତ୍ତମାନ ଦେଶ ରହିଛି ବୋଲି ଶାସକମାନେ ରହିଛନ୍ତି । ଦିଲ୍ଲୀରେ ବଡ଼ ଶାସକମାନେ ରହିଛନ୍ତି ଓ କାଶୀପୁରରେ ଚୁଇଁ ଶାସକମାନେ ରହିଛନ୍ତି । ତେଣୁ ସେମାନଙ୍କୁ ଆମେ ରାଜା ବୋଲି କାହିଁକି ଭାବିବା, ମାଲିକ ବୋଲି ବି କାହିଁକି ଭାବିବା ? ସେମାନଙ୍କୁ ଆମେ ଆମ ସାହାଯ୍ୟକାରୀ ଭାବିବା ।

ହିଁ, କାଶୀପୁର ରହିଛି ବୋଲି ଭାରତବର୍ଷ ରହିଛି । କାଶୀପୁର ରହିଛି ବୋଲି ଏହି ପୃଥିବୀ ମଧ୍ୟ ରହିଛି । ଗାଆଁମାନେ ଅଛନ୍ତି ବୋଲି ସହରମାନେ ଅଛନ୍ତି । ଗାଁର ଲୋକମାନେ ଜମି ଚାଷ କରୁଛନ୍ତି ଓ ଫସଲ ଫଳାଉଛନ୍ତି ବୋଲି ସହରର ମଣିଷମାନେ ଖାଇବାକୁ ପାଉଛନ୍ତି । ହଁ, ସହରରେ ଟଙ୍କା ଅଛି, ସହରମାନଙ୍କରେ ଟଙ୍କା ତିଆରି ହେଉଛି । ସେଠାରେ ସବୁ କିଛି ଟଙ୍କାରେ କାରବାର । ଦୋକାନରେ ଜିନିଷମାନ ରହିଛି; ତୁମେ ଟଙ୍କା ଦେବ, ଜିନିଷ ଆଣିବ । ପାଖରେ ପଇସା ନଥିଲେ ସେଠାରେ ତୁମର ପ୍ରାଣ ଛାଡ଼ିଯିବ ପଛକେ, ମାତ୍ର କୌଣସି ଦୋକାନୀ ତୁମକୁ କଦାପି ପଇସାକର ଜିନିଷ ମଧ୍ୟ ଦେବ ନାହିଁ । କିନ୍ତୁ ପଇସା ଦେଇ ସିନା ତୁମେ ଜିନିଷ କିଣିପାରିବ, କିନ୍ତୁ ପଇସାକୁ କ’ଣ ଖାଇବ ? ତେଣୁ, ଗାଁ ମାନଙ୍କରେ ଯଦି ଫସଲ ଫଳାଯାଉଥାନ୍ତା, ତେବେ ପଇସା ମୁଣିରେ ମୁଣିଏ ପଇସା ରହିଥିଲେ ମଧ୍ୟ ସହର ଲୋକମାନେ କ’ଣ ଖାଇକରି ବଞ୍ଚନ୍ତେ ? ଟଙ୍କାଗୁଡ଼ାକ ତ କାଗଜରେ ତିଆରି, ସେହି କାଗଜ ଗୁଡ଼ାକ ଖାଇକରି କେହି ବଞ୍ଚିଲାଣି ଏମାନେ ବଞ୍ଚିପାରନ୍ତେ ?

 

(୬)

ପୃଥିବୀରେ ବେଶୀ ଗାଆଁ, ଅଳପ ସହର । ସହର ମାନଙ୍କରେ ଅଳପ ଲୋକ ବାସ କରୁଛନ୍ତି । ସହର ମାନଙ୍କରେ ଭଳିକି ଭଳି ଦୋକାନ ରହିଛି, ଉଞ୍ଚରୁ ଅଧିକ ଉଞ୍ଚ କୋଠାଘରମାନ ରହିଛି–ସହରରେ ଚାକିରିଆମାନେ ଅଛନ୍ତି । ସରକାରୀ କଚେରୀ ସବୁ ସହରମାନଙ୍କରେ ରହିଛି-। କିନ୍ତୁ ଫସଲ ଗାଆଁରେ ଫଳୁଛି । ଗାଁରେ ଚାଷୀମାନେ ଜମି ଚାଷକରି ଫସଲ ଫଳାଉଛନ୍ତି । ଖାଲି ଆମ ଭାରତବର୍ଷରେ ଏକଥା ହେଉଛି ତାହା ନୁହେଁ, ସାରା ପୃଥିବୀରେ ଏକଥା ହେଉଛି । ପୃଥିବୀ ଯାକ ସବୁ ଦେଶରେ ଗାଆଁରେ ରହୁଥିବା ମଣିଷମାନେ ହିଁ ସହରରେ ରହୁଥିବା ମଣିଷମାନଙ୍କୁ ଦାନା ଯୋଗାଉଛନ୍ତି । ଯଦି, ଦେଶଟାଯାକ ପୃଥିବୀଟାଯାକ ସହର ହୋଇଯାଆନ୍ତା, ତେବେ ମଣିଷମାନେ ପ୍ରକୃତରେ କ’ଣ ଖାଇ ବଞ୍ଚନ୍ତେ ?

ତେଣୁ ଗାଆଁମାନେ ସୁନ୍ଦର ହେଲେ ଯାଇ ସହର ସୁନ୍ଦର ହେବ । ଗାଆଁମାନେ ମାଆ ପରି, ସହରମାନେ ଛୁଆ । ବୟସରେ ମଧ୍ୟ ସତକୁ ସତ ଗାଆଁମାନେ ବଡ଼ । ସହରମାନେ ସାନ । ଲକ୍ଷ୍ମୀ ଆଗ ଗାଆଁରେ ଆସି ରହିଲେ ଯାଇ ସହର ଲକ୍ଷ୍ମୀମନ୍ତ ହେବ । ଲକ୍ଷ୍ମୀମନ୍ତ ଦିଶିବ । ଗାଆଁ ଲୋକଙ୍କର ପେଟ ପୁରୁଥିଲେ ଯାଇ ସହରବାସୀଙ୍କ ପେଟ ପୁରୁଥିବ । ଗାଆଁରେ ବାସକରୁଥିବା ମଣିଷମାନେ ଯଦି ଭଲରେ ରହିବେ, ଅର୍ଥାତ, ଯଦି ସେମାନେ ଅଧିକ ପାରୁଥିବେ, ତେବେ ଗାଆଁରେ ଅଧିକ ଫସଲ ଫଳିବ, ତେବେ ଯାଇ ଗାଆଁରୁ ବଳକା ହୋଇ ସହରକୁ ଖାଦ୍ୟ ଯିବ ଓ ସହରବାସୀ ଭଲରେ ରହିବେ ଆଗ ଭଲ ଖାଇଲେ ସିନା ଭଲରେ ରହିବେ, କିନ୍ତୁ ଭଲ ଖାଇବାକୁ ନପାଉଥିଲେ ଆଉ ଯାହା କିଛି ହେଲେ ମଧ୍ୟ କିପରି ଭଲରେ ରହିବେ ?

ତେଣୁ ପୃଥିବୀର ଯେଉଁ ସବୁ ଦେଶରେ ଗାଆଁ ଭଲ, ସେହି ସବୁଦେଶରେ ସହର ମଧ୍ୟ ଭଲ । ଯେଉଁ ସବୁ ଦେଶରେ ଗାଆଁ ସୁଖୀ; ସେଠି ସହର ମଧ୍ୟ ସୁଖୀ । ଯେଉଁଠି ଗାଆଁ ସଫା, ସେଠାରେ ସହର ମଧ୍ୟ ସଫା । ଆମ ଭାରତବର୍ଷରେ ସହର ମଇଳା, କାରଣ ଏଠାରେ ଗାଆଁ ଗୁଡ଼ିକ ମଧ୍ୟ ମଇଳା । ଖାଲି ଆମରି ଗୋଟିଏ ଦେଶରେ ନୁହେଁ, ପୃଥିବୀରେ ଆହୁରି ଅନେକ ଅନେକ ଦେଶ ଅଛନ୍ତି, ଯେଉଁଠାରେ କି ଗାଆଁ ଗୁଡ଼ିକ ଦରିଦ୍ର ହୋଇ ରହିଥିବାରୁ ସହରମାନେ ବି ଭାରି ଦରିଦ୍ର ହୋଇ ରହିଛନ୍ତି; ଭାରି ଅସୁନ୍ଦର ଦେଖାଯାଉଛନ୍ତି । ଚଢ଼େଇର ଦୁଇଟା ଡେଣା ଥାଏ ବୋଲି ଚଢ଼େଇ ଉଡ଼ିପାରେ । ଯଦି ତାର ଗୋଟାଏ ଥାଆନ୍ତା ବା ଗୋଟିଏ ଡେଣା କାଟିଦିଆ ହୁଅନ୍ତା, ତେବେ ସିଏ କେବେହେଲେ ଉଡ଼ି ପାରୁନଥାନ୍ତା । ଠିକ୍ ସେହିପରି, ପୃଥିବୀରେ ଯେତେ ଦେଶ ଅଛନ୍ତି, ସେଠି ସହର ଗୋଟିଏ ଡେଣା ଓ ଗାଆଁ ଆଉ ଗୋଟିଏ ଡେଣା । ଦୁଇଟିଯାକ ଡେଣାରେ ଶକ୍ତି ରହିଲେ ଯାଇ ଦେଶର ମଧ୍ୟ ଶକ୍ତି ବଢ଼ିବ । ସହର ଆଉ ଗାଆଁ ପରସ୍ପର ଭାଇହୋଇ ରହିବେ । ସହର ଠାରୁ ଗାଆଁ ଅଧିକ ପୁରୁଣା ହୋଇଥିବାରୁ ଗାଆଁ ବଡ଼ ଭାଇହୋଇ ରହିଥିବ । ସାନଭାଇ ବଡ଼ଭାଇକୁ ମାନୁଥିବ । ତେବେ ଯାଇ ଦେଶ ଭଲହେବ । ଗାଆଁ ଆଉ ସହର ଦୁଇ ସ୍ଥାନରେ ଲକ୍ଷ୍ମୀ ଭରିହୋଇ ରହିଥିବେ ।

 

(୭)

ସହରବାଲା ବେଳେବେଳେ ଭାରି ଚାଲାକ ହୋଇଯାଆନ୍ତି କି କ’ଣ କେଜାଣି, ସେମାନେ ଏହି ଅସଲ କଥାଟିକୁ ଏକାବେଳେ ଭୁଲିଯାଆନ୍ତି ଫଳରେ ଗାଆଁ ଆଉ ସହର ଉଭୟଙ୍କର ଅମଙ୍ଗଳ ହୁଏ । ଦେଶର ଅମଙ୍ଗଳ ହୁଏ । ପୃଥିବୀର ଅମଙ୍ଗଳ ହୁଏ । ଚାକିରିଆମାନେ ମଧ୍ୟ ବେଳେବେଳେ ଅସଲ କଥାଗୁଡ଼ାକ ଏକାବେଳେ ଭୁଲିଯାଆନ୍ତି । ସେତେବେଳେ ସେମାନେ ମଧ୍ୟ ଭାରି ଚାଲାକ ହୋଇଯାଇଥାଆନ୍ତି । ସେମାନେ ଭାବନ୍ତି, ଏ ଦେଶରେ ଖାଲି ସହର ଗୁଡ଼ାକ ରହିବ, ଖାଲି ବାବୁମାନେ ରହିବେ । ସେମାନଙ୍କୁ ଛାଡ଼ିଦେଲେ ଆଉ କେହି ହେଲେ ରହିବେ ନାହିଁ । ସେମାନଙ୍କର ଟଙ୍କା ଓ ସେମାନଙ୍କର କ୍ଷମତା ସେମାନଙ୍କର ମୁଣ୍ତରେ ପୋକ ପରି ହୋଇ ସେମାନଙ୍କୁ କାମୁଡ଼ି ଧରିଥାଏ । ତେଣୁ ସେମାନେ ସେତେବେଳେ ଗାଆଁ ଆଉ ସହର ଉଭୟକୁ ନେଇ ଚିନ୍ତା କରିପାରନ୍ତି ନାହିଁ । ସମସ୍ତେ ରହିଲେ ଯେ ସେମାନେ ନିଜେ ମଧ୍ୟ ରହିପାରିବେ, ସେହି କଥାଟିକୁ ସେମାନେ ସେତେବେଳେ ଗୋଟାସୁଦ୍ଧା ଭୁଲିଯାଆନ୍ତି । ସେତିକିବେଳେ ସହର ଗାଆଁର ଭଗାରି ହୋଇ ଠିଆହୁଏ । ସାନଭାଇ ବଡ଼ଭାଇର ଭଗାରି ହୋଇଯାଏ ।

ପୃଥିବୀରେ ଏପରି ବହୁତ ଦେଶ ଅଛନ୍ତି, ଯେଉଁଠାରେ କି ଗାଆଁ ସୁଖରେ ଅଛି, ସହର ବି ସୁଖରେ ରହିଛି । ଚାଷୀ ସୁଖରେ ଅଛି ଏବଂ ସହରବାସୀ ମଧ୍ୟ ସୁଖରେ ଅଛି । ସମସ୍ତେ ଭଲରେ ଅଛନ୍ତି; କେହି କାହାରି ଉପରେ ବାବୁ ହୋଇ ବସିନାହାନ୍ତି । ସେହି ସବୁ ଦେଶରେ କେହି ଦୁଃଖରେ ନାହାନ୍ତି । ଅନେକ ମଣିଷ ଭାବନ୍ତି ଯେ, ସମାଜରେ, ପୃଥିବୀରେ କେତେକ ମଣିଷଙ୍କୁ ସୁଖରେ ରହିବାକୁ ହେଲେ ଆଉ କେତେକ ମଣିଷଙ୍କୁ ବାଧ୍ୟହୋଇ ଦୁଃଖରେ ରହିବାକୁ ପଡ଼ିବ । ଏଇଟା ଏକାବେଳେ ଭୁଲ କଥା । ଏଇଟା ଯେ ପ୍ରକୃତରେ ଏକ ଭୁଲ୍ କଥା, ତାହା ଏବେ ପୃଥିବୀର କେତେକ ଦେଶରେ ପ୍ରମାଣିତ ହୋଇସାରିଲାଣି । ସେହି ସବୁ ଦେଶରେ ଗାଆଁ ଆଉ ସହର ସତେ ଅବା ହାତ ଧରାଧରି ହୋଇ କାନ୍ଧକୁ କାନ୍ଧ ମିଳାଇ ଏକାଠି ବାଟ ଚାଲୁଛନ୍ତି । ଦୁହେଁ ମିଶି ଆଗକୁ ଆଗକୁ ଯାଉଛନ୍ତି; ଅଧିକରୁ ଅଧିକ ଉନ୍ନତି କରୁଛନ୍ତି । ମଣିଷମାନେ ସେହି ସବୁ ଦେଶରେ ଜଣେ ଜଣକର ବନ୍ଧୁହୋଇ ରହିଛନ୍ତି । କେହି କାହାରି ଶତ୍ରୁ ହୋଇ ରହିନାହିଁ । କେହି କାହାରିକୁ ଗିଳି ପକାଇବାକୁ ମୋଟେ ମନେ କରୁନାହିଁ । ପୃଥିବୀରେ ଯଦି ସବୁ ମଣିଷ ସବୁ ମଣିଷଙ୍କର ବନ୍ଧୁ ହୋଇ ରହିବେ, କେହି କାହାର ପାଖରୁ ଲୁଟି ନେଇ ନିଜର ଧନ ବଢାଇବାକୁ ମନ କରିବେ ନାହିଁ, ତେବେ ପୃଥିବୀରେ ଯୁଦ୍ଧ କାହିକିଁ ହେବ ? ସେତେବେଳେ କାଶୀପୁର ଠାରୁ ଆରମ୍ଭକରି କାଶୀସହର ପର୍ଯ୍ୟନ୍ତ ସବୁଠାରେ ସମସ୍ତେ ଖୁସିରେ ରହିବେ । ପୃଥିବୀରେ ଆଉ ମିଛଟାରେ ମଣିଷମାନଙ୍କୁ କୌଣସି ଦୁଃଖ ଭୋଗ କାରିବାକୁ ପଡ଼ିବ ନାହିଁ । ଅସଲ ସତ୍ୟଯୁଗ ସେତିକିବେଳେ ଆସିବ ।

କେତେକ ମଣିଷ ଅଧିକ ମଣିଷଙ୍କୁ ଦୁଃଖୀ ରଖି ଆପେ ଅଧିକ ସୁଖରେ ରହିବା ସକାଶେ ମନ କରୁଥିବାରୁ ହିଁ ପୃଥିବୀରେ ଅଧିକ ଦୁଃଖ ରହିଛି । ଅଧିକ ମଣିଷ ପଛରେ ପଡ଼ିଛନ୍ତି, ଭାଗ୍ୟକୁ ଆଦରି ରହିଛନ୍ତି । ମଣିଷ ମଣିଷ ଭିତରେ ଭେଦ ରହିଛି । ଦେଶ ଦେଶ ଭିତରେ ଭେଦ ରହିଛି । ଗୋଟିଏ ଦେଶରେ ମଧ୍ୟ ଅଞ୍ଚଳ ଅଞ୍ଚଳ ଭିତରେ ଭେଦ ରହିଛି । ସହର ଆଉ ଗାଆଁ ଭିତରେ ଭେଦ ରହିଛି । ଗୋଟିଏ ଗାଆଁ ଭିତରେ ମଧ୍ୟ ସାହି ସାହି ମଧ୍ୟରେ ଭେଦ ରହିଛି । କୁଟୁମ୍ବ କୁଟୁମ୍ବ ଭିତରେ ଭେଦ ରହିଛି । ପୃଥିବୀରେ ସବୁ ମଣିଷଙ୍କ ଲାଗି ଖାଇବା ଅଛି ସତ, କିନ୍ତୁ ସବୁ ମଣିଷଙ୍କର ତଥାପି ପେଟ ପୁରୁନାହିଁ । ସବୁ ମଣିଷଙ୍କର ରହିବା ସକାଶେ ଘର ଖଣ୍ତେ ନାହିଁ । ପୃଥିବୀର ସବୁପିଲା ଇସ୍କୁଲକୁ ଯାଉନାହାନ୍ତି । ଧନ ଭର୍ତ୍ତି ହୋଇ ରହିଛି, ମାତ୍ର ସବୁ ମଣିଷ ସେଥିରୁ ଉପକୃତ ହେଉନାହାନ୍ତି । ଯଦି ମହାପୁରୁ ପ୍ରକୃତରେ ସବୁ ମଣିଷଙ୍କୁ ସୃଷ୍ଟି କରିଛନ୍ତି, ତେବେ ସବୁ ମଣିଷତ ଖାଇବାକୁ ପାଉଥାଆନ୍ତେ । ମେହେନତ କରି ସବୁ ମଣିଷଙ୍କର ତ ପେଟ ପୁରୁଥାଆନ୍ତା । ସମସ୍ତଙ୍କର ରହିବା ଲାଗି ଘର ଥାଆନ୍ତା, ସବୁ ପିଲା ଇସ୍କୁଲକୁ ଯାଇ ପାରୁଥାଆନ୍ତେ । ଜମିରେ ଚାଷକରି ପେଟ ପୋଷୁଥିବା ସମସ୍ତଙ୍କ ପାଖରେ ନିଜର ଜମି ରହିଥାଆନ୍ତା । ମହାପୁର କାହିକିଁ କୋଉ ମଣିଷକୁ ଉପାସ ରଖିବେ ? କାହିକିଁ ଅଳପ କେତେ ଲୋକଙ୍କୁ ସୁଖରେ ରଖି ଅଧିକ ମଣିଷଙ୍କୁ ଦୁଃଖରେ ରଖିବେ ? କେତେ ମଣିଷଙ୍କୁ ପାଠୁଆ କରାଇ ଅଧିକ କେତେ କେତେ ମଣିଷଙ୍କୁ ମୁର୍ଖ କରି ରଖିବେ ? ଏସବୁ ମଣିଷମାନେ ନିଜେ କରିଛନ୍ତି । କେତେ ମଣିଷ ଅଧିକ ଚାଲାକ ହୋଇ ଆଉ ମଣିଷମାନଙ୍କୁ ବୋକା କରି ରଖିଛନ୍ତି ।

 

(୮)

ତେଣୁ ଆମ କାଶୀପୁରରେ ଯାହା, ସାରା ପୃଥିବୀରେ ମଧ୍ୟ ଠିକ ସେୟା । ସବୁଠାରେ ଅଧେ ମଣିଷ ଘୋଡ଼ା ହୋଇଛନ୍ତି ଓ ଆଉ ଅଧେ ମଣିଷ ବାବୁ ହୋଇ ସେମାନଙ୍କ ପିଠିରେ ବସିଛନ୍ତି । ତେଣୁ ପୃଥିବୀ ଧର୍ମରେ ନଚାଲି ଅଧର୍ମରେ ଚାଲୁଛି । ନ୍ୟାୟରେ ନ ଚାଲି ଅନ୍ୟାୟ ଓ ଲୋଭରେ ଚାଲୁଛି । ଲୋଭୀମାନଙ୍କ ପାଖରେ ଅଧିକ କ୍ଷମତା ରହିଛି ତେଣୁ ସେମାନେ ଅନ୍ୟମାନଙ୍କୁ ଠକିବାରେ ଲାଗିଛନ୍ତି । ସମସ୍ତଙ୍କର ହାତ ଏକାଠି ହେଲେ ଓ ସମସ୍ତଙ୍କର ବୁଦ୍ଧିକୁ ଏକାଠି ସମସ୍ତଙ୍କର ମଙ୍ଗଳ ଲାଗି କାମରେ ଲଗାଇ ପାରିଲେ ଯେ ସବୁ ମଣିଷ ଭଲରେ ରହନ୍ତେ ଓ ଏହି ପୃଥିବୀ ଅଧିକ ସୁନ୍ଦର ଦେଖାଯାଆନ୍ତା, ଲୋଭୀମାନେ ସେକଥା ମୋଟେ ଭାବିପାରୁନାହାନ୍ତି । ଯାହାର ଯେତେ ବେଶୀ ଲୋଭ, ତାହାର ସେତେ ଅଧିକ ଭୟ । ଗାଆଁରେ ଗରିବମାନଙ୍କ ଅପେକ୍ଷା ଧନୀ ମାନଙ୍କର ବେଶୀ ଭୟ । ଦେଶରେ ଗ୍ରାମବାସୀମାନଙ୍କ ଅପେକ୍ଷା ସହରବାସୀଙ୍କର ଅଧିକ ଭୟ । ସାରା ପୃଥିବୀରେ ମଧ୍ୟ ନଥିଲାବାଲାଙ୍କ ଅପେକ୍ଷା ଥିଲାବାଲାଙ୍କର ବେଶୀ ଭୟ । ଯିଏ ଭୟ କରେ, ଯିଏ ଲୋଭ କରେ, ସିଏ ସତେ ଯେପରି ଏହି ସଂସାରରେ ଏକା ରହିବ ବୋଲି ସବୁବେଳେ ଚିନ୍ତା କରୁଥାଏ । ସେଇଥିପାଇଁ ସିଏ କେବଳ ନିଜକୁ ଦେଖୁଥାଏ, ଖାଲି ନିଜର କୁଟୁମ୍ବଟିକୁ ଦେଖୁଥାଏ । ଆଉ କାହାକୁ ହେଲେ ଦେଖିପାରେ ନାହିଁ । କାହାରି ବନ୍ଧୁ ହୋଇପାରେ ନାହିଁ । ପୃଥିବୀରେ ଏହିପରି ମଣିଷମାନେ ହିଁ ସବୁଠାରୁ ଅଧିକ ଅନର୍ଥ ଘଟାନ୍ତି । ଦୁଃଖର କାରଣ ହୁଅନ୍ତି ।

ଗୋଟାଏ ମହାପୁରୁ ଯଦି ସବୁ ମଣିଷକୁ ତିଆରି କରିଛି, ତେବେ ସବୁ ମଣିଷ ଏକାଠି ଏହି ସଂସାରରେ ବନ୍ଧୁ ପରି ରହି ନପାରିବେ କାହିକିଁ ? ସଂସାରରେ ସବୁ ପିଲା କାହିକିଁ ପାଠପଢ଼ି ନପାରିବେ ? ରୋଗରେ ପଡ଼ିଲେ ଡାକ୍ତର କାହିକିଁ ସମସ୍ତଙ୍କ ଘରକୁ ନ ଆସିପାରିବ ? ଏବେ ପୃଥିବୀର ସବୁ ଦେଶରେ ଏହି କଥାଟା ହିଁ ଅଧିକରୁ ଅଧିକ ଆଲୋଚନା ହେଉଛି । ଅଧିକରୁ ଅଧିକ ମଣିଷ ସେହି କଥା ଆଲୋଚନା କରୁଛନ୍ତି । ଯେଉଁମାନଙ୍କର ସତକୁ ସତ ଆଖି ଅଛି ସେମାନେ ଏବେ କେବଳ ନିଜ ସୁଖ ବିଷୟରେ ନୁହେଁ, ପୃଥିବୀରେ ସବୁ ମଣିଷ କିପରି ସୁଖରେ ରହିବେ, ଅଧିକରୁ ଅଧିକ ସେହି କଥା ଭାବିବାକୁ ଆରମ୍ଭ କଲେଣି । ସମସ୍ତଙ୍କର ପେଟ ପୂରିବ, ସମସ୍ତେ ପାଠ ପଢ଼ିବେ, କେହି ମୁର୍ଖ ହୋଇ ରହିବେ ନାହିଁ । କେହି କାହାରିକୁ ଠକିବ ନାହିଁ—ପୃଥିବୀ ଯାକ ସମସ୍ତଙ୍କୁ ନିଜର ଘର ପରି ଲାଗୁଥିବ ଏଠି କେହି କାହାରିକୁ ଗିଳି ପକାଇବେ ନାହିଁ—ସେହିପରି ଗୋଟିଏ ଅନ୍ୟ ପୃଥିବୀ ସମ୍ଭବ କରିବା ଲାଗି ଏବେ ଅଧିକରୁ ଅଧିକ ମଣିଷ ଚିନ୍ତା କଲେଣି । କାମ ମଧ୍ୟ କଲେଣି । ପୃଥିବୀରୁ ଭୟ କମି କମି ଆସୁଛି । ସବୁ ମଣିଷ ଯଦି ନିଜକୁ ଗୋଟିଏ କୁଟୁମ୍ବର ବୋଲି ଅନୁଭବ କରିବେ, ତେବେ ଏଠି ଭୟ ଲାଗି ଆଉ କାହିକିଁ କି ପ୍ରୟୋଜନ ରହିବ ? ସେତେବେଳେ ସବୁରି ଦୁଃଖ ନିଜର ଦୁଃଖ ପରି ଲାଗିବ । ସବୁ ପିଲା ନିଜର ପିଲାପରି ମନେହେବେ । ପୁରୁଣା ପୃଥିବୀ ଯିବ, ନୂଆ ପୃଥିବୀଟିଏ ଆସିବ । ପୁରୁଣା ମଣିଷମାନେ ହାରିଯିବେ, ନୂଆ ମଣିଷମାନେ ପୃଥିବୀକୁ ନୂଆକରି ଗଢ଼ିବେ । ଲୋଭୀମାନେ ହଟିଯିବେ । ନୂଆ ପୃଥିବୀରେ ଲୋଭୀମାନେ ଧରାପଡ଼ିଯିବେ । ଭୟାଳୁ ମାନେ ଧରା ପଡ଼ିଯିବେ, ସାହାସୀମାନେ ବାହାରକୁ ବାହାରି ଆସିବେ ।

 

(୯)

ପୃଥିବୀ ବଦଳିବ, ଆମ କାଶୀପୁର ମଧ୍ୟ ବଦଳିବ । ଗୋଟିଏ ଗୋଟିଏ ହୋଇ ଅନେକ କାଶୀପୁର ଏକାଠି ହୋଇ ତ ଏହି ପୃଥିବୀ ଗଢ଼ା ହୋଇଛି । ତେଣୁ ଆମ କାଶୀପୁର ବଦଳିବାକୁ ମନକଲେ ସାରା ପୃଥିବୀ ମଧ୍ୟ ବଦଳିବାକୁ ଆରମ୍ଭ କରିବ । ନୂଆ ପୃଥିବୀରେ ସମସ୍ତେ କାମ କରିବେ । ସମସ୍ତେ ଖାଇବାକୁ ପାଇବେ । ଲୋକମାନେ କଦାପି ଅନ୍ୟମାନଙ୍କୁ ବୋକା ବନାଇ ଠକିବାକୁ ମନ କରିବେନାହିଁ । ସେତେବେଳେ ଖାଲି ଅଳସୁଆ ମାନେ ହିଁ ଛୋଟ ଜାତି ହୋଇ ରହିବେ । ଯିଏ କାମ କରୁନାହିଁ, ଖାଲି ଭୋଗ କରୁଛି, ତାହାକୁ ସବୁଠାରୁ ଅଧିକ ଲାଜ ମାଡ଼ିବ । ଅଳସୁଆ ମଣିଷ ହିଁ ଅନ୍ୟମାନଙ୍କୁ ଠକିବା ଲାଗି ମନେକରେ, ଅନ୍ୟ ମାନଙ୍କୁ ବୋକା ବନାଇ ନିଜେ ସବୁ ମାରିନେବ ବୋଲି ସୁବିଧା ଖୋଜୁଥାଏ । ଅସଲ ସାଧୁ ହୋଇ ଯିଏ ଠକେ ନାହିଁ, କାମ ନକରି ଭୋଗ କରିବାକୁ ମୋଟେ ମନ କରେନାହିଁ । ଅସଲ ସାହସୀ ସେଇ, ଯିଏ ନିଜର ବଳ ଓ ବୁଦ୍ଧିକୁ ଖଟାଇ ନିଜର ଜୀବନକୁ ନିଜେ ଗଢ଼େ, ନିଜ ଗୋଡ଼ତଳେ ଥିବା ଭୂଇଁକୁ ନିଜେ ଟାଣ କରେ ଓ ତାହାରି ଉପରେ ନିଜେ ଠିଆହୋଇ ପାରୁଥାଏ । ଅସଲ ମଣିଷ ସେଇ, ଯିଏ ଖାଲି ନିଜ ପେଟଟିକୁ ନିଜ ପିଲାଙ୍କୁ ଓ ନିଜର ସ୍ଵାର୍ଥ ଗୁଡ଼ିକୁ ନ ଦେଖି ସମସ୍ତଙ୍କର ପେଟକୁ, ସବୁ ପିଲାଙ୍କୁ ଓ ସମସ୍ତଙ୍କର ସ୍ଵାର୍ଥକୁ ଦେଖିପାରୁଥାଏ । ସମସ୍ତେ ଭଲ ରହିଲେ ସିଏ ନିଜେ ମଧ୍ୟ ଭଲରେ ରହିବ ବୋଲି ଯିଏ ପ୍ରକୃତରେ ବିଶ୍ଵାସ କରୁଥାଏ ।

 

(୧୦)

ଯେଉଁ ସମାଜ ଆସୁଛି, ତାହା ଅଳସୁଆ ମାନଙ୍କର ନୁହେଁ, କାମିକା ମଣିଷ ମାନଙ୍କର ସମାଜ ହେବ । କାଶୀପୁରର କାମିକା ଲୋକମାନେ ଏକାଠି ହୋଇ ଏଠି ଯେଉଁ ନୂଆ ସମାଜ ଗଢ଼ିବେ, ତାହା କାଶୀପୁରକୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେବ । ଠକମାନଙ୍କର ସମାଜରେ ମାତ୍ର କେତେଲୋକ କାମ କରନ୍ତି, ଆଉ ସମସ୍ତେ କାମ ନକରି ଭୋଗ କରିବାରେ ହିଁ ଲାଗିଥାନ୍ତି । ଆମ ଘର ମାନଙ୍କରେ ଖାଲି ପୁରୁଷମାନେ ନୁହଁନ୍ତି, ସ୍ତ୍ରୀମାନେ ମଧ୍ୟ କାମ କରନ୍ତି । ଆମ ପିଲାମାନେ ମଧ୍ୟ କାମରେ ଆମକୁ ସାହାଯ୍ୟ କରନ୍ତି । କେହି ଅଳସୁଆ ରହେନାହିଁ । କେହି ବାବୁ ହୋଇ ବସିନଥାଏ-। ତେଣୁ ଆମ ଭିତରେ ବଡ଼ ସାନର କୌଣସି ଭେଦ ନଥାଏ । ଅଳସୁଆମାନଙ୍କ ଭିତରେ ହିଁ ବଡ଼ ସାନ ଭେଦ ରହିଥାଏ । ବଡ଼ ସାନ ଭେଦରୁ ହିଁ ଅଧର୍ମ ଆସେ, ଅନ୍ୟାୟ ରାଜାହୋଇ ବସିବାକୁ ମନକରେ । ଯେଉଁ ସମାଜରେ ଅଳସୁଆମାନେ ରହିବେ ନାହିଁ, ସେଠି ଠକମାନେ ବି ରହିବେ ନାହିଁ-ସମାଜରୁ ଠକମାନେ ବିଦା ହୋଇଗଲେ ଯାଇ ମଣିଷର ବୁଦ୍ଧି ମଣିଷର ମଙ୍ଗଳ ଲାଗି କାମରେ ଲାଗିପାରିବ । ସବୁ ମଣିଷଙ୍କର ମଙ୍ଗଳ ସକାଶେ କାମରେ ଲାଗିପାରିବ । ବର୍ତ୍ତମାନ ବୁଦ୍ଧିଗୁଡ଼ାକ ମଣିଷର ଅମଙ୍ଗଳ ପାଇଁ ଅଧିକ ଲାଗୁଛି । ମଣିଷ ମଣିଷର ଅନିଷ୍ଟ କରିବାରେ ଅଧିକ ବୁଦ୍ଧି ଖର୍ଚ୍ଚ ହେଉଛି । ଏହି ପୃଥିବୀ କର୍ମଠ ମାନଙ୍କର ହାତକୁ ଆସିଲେ ଆଉ ସେପରି କଦାପି ହେବନାହିଁ ।

ଆମେ କାଶୀପୁରର ମଣିଷମାନେ କାଶୀପୁରକୁ ନୂଆଁକରି ଗଢ଼ିବା । କାଶୀପୁରର ସବୁ ଗାଆଁକୁ ଏକାଠି ଗୋଟିଏ କୁଟୁମ୍ବ ବୋଲି ଅନୁଭବ କରିବା କେହି କାହା ଉପରେ ବାବୁ ହୋଇ ବସିବାକୁ ମନ କରିବା ନାହିଁ । ଏଠି ସମସ୍ତେ ସମସ୍ତଙ୍କୁ ସାଙ୍ଗରେ ନେବା । ତେବେ ଆମର ଏହି କାଶୀପୁର ଠାରୁ ହିଁ ଏକ ନୂତନ ପୃଥିବୀର ମୂଳଦୁଆ ପଡ଼ିବ । ଏହିପରି ଭାବରେ ପୃଥିବୀଯାକର ସବୁ କାଶୀପୁରମାନଙ୍କରେ ନୂଆ ମୂଳଦୁଆମାନ ତିଆରି ହେବ ଏବଂ ନୂଆ ଆଖି ଓ ନୂଆ ବଳ ନେଇ ଅଧିକରୁ ଅଧିକ ମଣିଷ ବାହାରିବେ । ଏବଂ ଏହିପରି ଭାବରେ କ୍ରମେ ସମଗ୍ର ପୃଥିବୀଟା ନୂଆ ହୋଇଯିବ, ବଦଳିଯିବ ।

Image